ଡୋପ୍ଲର୍ ପ୍ରଭାବ
From Wikipedia, the free encyclopedia
ତରଙ୍ଗ ଉତ୍ସ ଓ ଦେଖଣାହାରୀ ବା ଶ୍ରୋତା ମଧ୍ୟରେ ଆପେକ୍ଷିକ ଗତି ରହିଥିଲେ ତରଙ୍ଗର ଦୈର୍ଘ୍ୟ ବା ଆବୃତ୍ତିରେ ପରିବର୍ତ୍ତନ ଘଟି ଯେଉଁ ପ୍ରଭାବ ଅନୁଭୂତ ହୁଏ ତାହାକୁ ଡୋପ୍ଲର୍ ପ୍ରଭାବ (ଈଂରାଜୀରେ Doppler Effect) ବା ଡୋପ୍ଲର୍ ବିସ୍ଥାପନ (ଈଂରାଜୀରେ Doppler Shift) କୁହାଯାଏ ।[1] ଅଷ୍ଟ୍ରିଆ ଦେଶର ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିୟାନ୍ ଡୋପ୍ଲର୍ ୧୮୪୨ ମସିହାରେ ଏହି ପ୍ରଭାବ ବିଷୟରେ ପ୍ରଥମେ ବୈଜ୍ଞାନିକ ବର୍ଣ୍ଣନା ଦେଇଥିବାରୁ ଏହାର ଏପରି ନାମକରଣ ହୋଇଛି ।
ଉଦାହରଣ ସ୍ୱରୂପ : ମନେ କରାଯାଉ ଯେ ଏକ ଗାଡ଼ି ସାଇରନ୍ ବଜାଇ ଆମ ଆଡ଼କୁ ଆସୁଛି । ଆମ ଆଡ଼କୁ ଗାଡ଼ିଟି ଆସିବା ବେଳେ ତାର ସାଇରନ୍ ଶବ୍ଦର ତାରତ୍ୱ (Pitch) ବା ଧ୍ୱନିର ତୀବ୍ରତା କ୍ରମଶଃ ବଢ଼ିଲା ପରି ଅନୁଭୂତ ହୁଏ । କିନ୍ତୁ ଗାଡ଼ିଟି ଆମକୁ ଅତିକ୍ରମ କରି ଦୂରକୁ ଯିବାବେଳେ ତାହାର ସାଇରନ୍ର ତୀବ୍ରତା ବା ତାରତ୍ୱ କମିଯିବା ପରି ଲାଗେ । ତେଣୁ ଧ୍ୱନି ତରଙ୍ଗ ଉତ୍ସ ଶ୍ରୋତା ଆଡ଼କୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ ଅଧିକ ଜଣାପଡ଼େ ଓ ଅପରପକ୍ଷେ ଧ୍ୱନି ଉତ୍ସ ଶ୍ରୋତାଠାରୁ ଦୂରକୁ ଯାଉଥିବା ସମୟରେ ପରିଲକ୍ଷିତ ଆବୃତ୍ତି ପ୍ରକୃତ ଆବୃତ୍ତିଠାରୁ କମ୍ ଥିବା ପରି ଜଣାପଡ଼େ ।[2] ଉତ୍ସରୁ ବାହାରୁଥିବା ତରଙ୍ଗ ଶିଖର ଗହ୍ୱର ଆକାରରେ ସଦା ସର୍ବଦା ଶ୍ରୋତା ଆଡ଼କୁ ଗତି କରୁଥାନ୍ତି । ଉତ୍ସ ଶ୍ରୋତା ଆଡ଼କୁ ଗତି କଲେ ପରବର୍ତ୍ତୀ ତରଙ୍ଗ ଶିଖରଗୁଡ଼ିକ ପୂର୍ବାପେକ୍ଷା ଶ୍ରୋତାର ଆହୁରି ନିକଟତର ସ୍ଥାନରୁ ଶ୍ରୋତା ଆଡ଼କୁ ଗତି କରନ୍ତି ।[2][3] ଏହା ଫଳରେ ପ୍ରତ୍ୟେକ ତରଙ୍ଗକୁ ଶ୍ରୋତା ପାଖରେ ପହଞ୍ଚିବାକୁ କମ୍ ସମୟ ଲାଗେ । ଶ୍ରୋତା ନିକଟରେ ପହଞ୍ଚୁଥିବା ବିଭିନ୍ନ ତରଙ୍ଗ ମଧ୍ୟରେ ବେଶୀ ସମୟ ବ୍ୟବଧାନ ରହେ ନାହିଁ ଓ ତରଙ୍ଗର ଆବୃତ୍ତି ବଢ଼ିଯାଏ । ତେଣୁ ତରଙ୍ଗ ଗୁଡ଼ିକ ଏକାଠି ହୋଇଯାନ୍ତି ଓ ତୀବ୍ରତା ବୃଦ୍ଧି ପାଏ । ଉତ୍ସ ଶ୍ରୋତାଠାରୁ ଦୂରକୁ ଗଲାବେଳେ ପରବର୍ତ୍ତୀ ତରଙ୍ଗଗୁଡ଼ିକ ଅଧିକ ଦୂରତାରୁ ସୃଷ୍ଟି ହୁଅନ୍ତି, ତେଣୁ ଏକ ନିର୍ଦ୍ଦିଷ୍ଟ ତରଙ୍ଗ ଓ ତାହାର ପରବର୍ତ୍ତୀ ତରଙ୍ଗ ପହଞ୍ଚିବା ମଧ୍ୟରେ ଅନେକ ସମୟ ବ୍ୟବଧାନ ରହିଯାଏ । ଏହା ଫଳରେ ତରଙ୍ଗଗୁଡ଼ିକ ଦୂରେଇଯାନ୍ତି ଓ ତୀବ୍ରତା ହ୍ରାସ ପାଏ । ଏହା ହିଁ ଡୋପ୍ଲର୍ ପ୍ରଭାବର କାରଣ ।
ଏକ ମାଧ୍ୟମ ଦେଇ ଗତି କରୁଥିବା ତରଙ୍ଗ ପାଇଁ ଉତ୍ସର ମାଧ୍ୟମ ସହିତ ଆପେକ୍ଷିକ ବେଗ ଓ ଶ୍ରୋତାର ମାଧ୍ୟମ ସହିତ ଆପେକ୍ଷିକ ବେଗ ନିର୍ଣ୍ଣୟ କରିବା ଜରୁରୀ ।[1] ଉତ୍ସ ଗତିଶୀଳ ଥିଲେ ବା ଶ୍ରୋତା ଗତିଶୀଳ ଥିଲେ ବା ତରଙ୍ଗର ମାଧ୍ୟମ ଗତି କରୁଥିଲେ - ଏପରି ଅନେକ କାରଣ ଯୋଗୁଁ ଡୋପ୍ଲର୍ ପ୍ରଭାବ ସୃଷ୍ଟି ହୋଇପାରେ । ଆଲୋକ ପରି ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ବା ମହାକର୍ଷଣୀୟ ତରଙ୍ଗ ସଞ୍ଚାରିତ ହେବା ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନଥାଏ । ଏପରି ସ୍ଥିତିରେ କେବଳ ଉତ୍ସ ଓ ଦେଖଣାହାରୀର ଆପେକ୍ଷିକ ଗତି ଜାଣିବା ଆବଶ୍ୟକ ।