ପୃଥିବୀର ଚୁମ୍ବକୀୟ କ୍ଷେତ୍ର
From Wikipedia, the free encyclopedia
ଭୁପୃଷ୍ଠ୍ଠରେ ଏକ ଚୁମ୍ବକୀୟ କ୍ଷେତ୍ର ଅନବରତ ପ୍ରଭାବୀ ରହିଛି । କାରଣ୍, ଆମ ପୃଥିବୀ ଏକ ବିରାଟ ଚୁମ୍ବକ ଭଳି କାର୍ଯ୍ୟ କରେ । ଏକଥା ବିଶଦ୍ ଭାବେ ବୁଝିବାପାଇଁଁ କଳ୍ପନା କରାଯାଇପାରେ ଯେ, ପୃଥିବୀ ମଧ୍ୟରେ ଏକ ବିରାଟ ଦଣ୍ଡ ଚୁମ୍ବକ ଉତ୍ତର-ଦକ୍ଷିଣ ଭାବରେ ପୃଥିବୀର କାଳ୍ପନିକ ମେରୁ ସହ ପ୍ରାୟ ୧୧ ଡିଗ୍ରୀ କୌଣିକ ଦୂରତ୍ୱରେ ରହିଛି । ତେବେ ଏହି କାଳ୍ପନିକ ଚୁମ୍ବକର ଉତ୍ତର ମେରୁ ପୃଥିବୀର ଭୌଗୋଳିକ ଦକ୍ଷିଣ ମେରୁ ନିକଟରେ ଏବଂ ଏହି କାଳ୍ପନିକ ଚୁମ୍ବକର ଦକ୍ଷିଣ ମେରୁ ପୃଥିବୀର ଭୌଗୋଳିକ ଉତ୍ତର ମେରୁ ନିକଟରେ ଅବସ୍ଥିତ । ଫଳରେ, ଏକ ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଅଭ୍ୟନ୍ତରରୁ ଭୁପୃଷ୍ଠ ଉପରିସ୍ଥ ସୌର-ପବନ ସ୍ତର ପର୍ଯ୍ୟନ୍ତ ବ୍ୟାପି ଥିବାର ଜଣାଯାଏ । ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭାବେ ପରିଚିତ । ଏହା ମଧ୍ୟ ଭୁ-ଚୁମ୍ବକୀୟ କ୍ଷେତ୍ର (Geomagnetic field) ନାମରେ ପରିଚିତ । ଭୁ-ଚୁମ୍ବକୀୟ କ୍ଷେତ୍ରର ଦିଗ ଏବଂ ଅବସ୍ଥିତି କାଳାନୁପାତରେ ଅତି ମନ୍ଥର ଗତିରେ ପରିବର୍ତ୍ତନ ହେବାର ନଜିର ରହିଛି ।