ଫିଫା ବିଶ୍ୱକପ
From Wikipedia, the free encyclopedia
ଫିଫା ବିଶ୍ୱକପ (ଈଂରାଜୀରେ FIFA World Cup) ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘଦ୍ୱାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ୱକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ୱର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା (Fédération Internationale de Football Association - FIFA)ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ୱକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା (୨୦୧୮ ମସିହାରେ ଋଷିଆରେ ଅନୁଷ୍ଠିତ) ବିଶ୍ୱକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ୱବିଜେତା ଦଳ ହେବାର ଗୌରବ ଲାଭ କରିଥିଲା ।
Founded | ୧୯୩୦ |
---|---|
Region | ଅନ୍ତର୍ଜାତୀୟ ପ୍ରତିଯୋଗିତା (ଆୟୋଜକ : ଫିଫା) |
Number of teams | ୨୧୧ରୁ ଉର୍ଦ୍ଧ୍ୱ ସଂଖ୍ୟକ ଦେଶଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୩୨ (ପ୍ରତିଯୋଗୀ ଦେଶ) |
Current champions | ଆର୍ଜେଣ୍ଟିନା |
Most successful team(s) | ବ୍ରାଜିଲ (୫ ଥର ବିଶ୍ୱବିଜେତା ଦଳ) |
Website | fifa |
୨୦୨୨ ଫିଫା ବିଶ୍ୱକପ |
ବିଶ୍ୱକପ ପ୍ରତିଯୋଗିତା | |
---|---|
ବର୍ତ୍ତମାନ ସମୟରେ ବିଶ୍ୱକପ ପୂର୍ବରୁ ସେଥିରେ କେଉଁ କେଉଁ ଦଳ ଖେଳିବେ ତାହା ନିର୍ଣ୍ଣୟ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକ ଯୋଗ୍ୟତା ଲାଭ ସ୍ତର ଦେଇ ଗତି କରିବାକୁ ହୁଏ । ବିଶ୍ୱକପ ଆୟୋଜନ ବର୍ଷର ପୂର୍ବ ତିନି ବର୍ଷ ମଧ୍ୟରେ ବିଭିନ୍ନ ଯୋଗ୍ୟତା ହାସଲକାରୀ ପ୍ରତିଯୋଗିତା ହୁଏ ଓ ସେଥିରୁ ୩୨ ଗୋଟି ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯେଉଁ ଦେଶରେ ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହୁଏ, ସେ ଦେଶ ସ୍ୱତଃ ଯୋଗ୍ୟତା ହାସଲ କରେ ଓ ବିଶ୍ୱକପରେ ଅଂଶ ଗ୍ରହଣ କରିଥାଏ । ପ୍ରାୟ ୧ ମାସ ଧରି ଏହି ଫୁଟବଲ ମହାସମାରୋହ ଅନୁଷ୍ଠିତ ହୋଇଥାଏ ।
ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ଦେଶ ୨୦ ଥର ବିଶ୍ୱକପ ହାସଲ କରିଛନ୍ତି । ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଛି ଏବଂ ଏହି ଏକମାତ୍ର ଦଳ ସମସ୍ତ ବିଶ୍ୱକପ ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ଉଭୟ ଜର୍ମାନୀ ଓ ଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା ୩ ଥର, ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ୱବିଜୟୀ ହୋଇଛନ୍ତି । ୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା । ଏହା ବ୍ୟତୀତ ଲଂଲଣ୍ଡ ଓ ସ୍ପେନ୍ ଗୋଟିଏ ଥର ଲେଖାଏଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।
ଫିଫା ବିଶ୍ୱକପ ବିଶ୍ୱର ସବୁଠାରୁ ଅଧିକ ଆଦୃତ ଓ ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା । ଏହାର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ । ୨୦୦୬ ଫିଫା ବିଶ୍ୱକପର ସର୍ବମୋଟ ଦର୍ଶକ ସଂଖ୍ୟା ୨୬୨୯୦ କୋଟି ଏବଂ ୨୦୦୬ ବିଶ୍ୱକପ ଫାଇନାଲ୍ ୭୧.୫୧ କୋଟି ଦର୍ଶକ ଉପଭୋଗ କରିଥିଲେ । ଏହି ସଂଖ୍ୟା ସମୁଦାୟ ବିଶ୍ୱର ଜନସଂଖ୍ୟାର ୯ ଭାଗରୁ ଏକ ଭାଗ ।[1][2][3][4]