ବାୟୋନ୍ ମନ୍ଦିର
କାମ୍ୱୋଡ଼ିଆର ଅଂକୋରରେ ଅବସ୍ଥିତ ପୁରାତନ ମନ୍ଦିର / From Wikipedia, the free encyclopedia
ବାୟୋନ୍ (ଇଂରାଜୀରେ Bayon, କ୍ଷ୍ମେର୍ ଭାଷାରେ ប្រាសាទបាយ័ន - ପ୍ରସତ୍ ବାୟୋନ୍) କାମ୍ବୋଡ଼ିଆର ଅଂକୋରରେ ଅବସ୍ଥିତ ଏକ ସୁନ୍ଦର ଓ ଭବ୍ୟ ପୁରାତନ ମନ୍ଦିର । ଦ୍ୱାଦଶ ଶତାବ୍ଦୀର ଶେଷରୁ ନେଇ ତ୍ରୟୋଦଶ ଶତାବ୍ଦୀର ଆରମ୍ଭ କାଳରେ କ୍ଷ୍ମେର୍ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିର ମହାଯାନ ବୌଦ୍ଧଧର୍ମାବଲମ୍ବୀ ରାଜା ଜୟବର୍ମନ ସପ୍ତମଙ୍କର ରାଜକୀୟ ମନ୍ଦିର ଥିଲା । ଜୟବର୍ମନଙ୍କ ରାଜଧାନୀ ଅଂକୋର୍ ଥୋମ୍ର କେନ୍ଦ୍ରରେ ବାୟୋନ୍ ଦଣ୍ଡାୟମାନ ।[1][2] ଜୟବର୍ମନଙ୍କ ମୃତ୍ୟୁ ପରେ ହିନ୍ଦୁ ଓ ଥେରବାଦ ବୌଦ୍ଧ ଧର୍ମାବଲମ୍ବୀ ରାଜାମାନେ ଏହି ମନ୍ଦିରକୁ ନିଜ ନିଜ ପୂଜା ପଦ୍ଧତି ପାଇଁ ବ୍ୟବହାର କରିଆସିଛନ୍ତି ।
ବାୟୋନ୍ ମନ୍ଦିର | |
---|---|
ପ୍ରସତ୍ ବାୟୋନ୍ | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଗୌତମ ବୁଦ୍ଧ, ଅବଲୋକିତେଶ୍ୱର |
Location | |
ସ୍ଥାନ | ଅଂକୋର୍ ଥୋମ୍ |
Country | କାମ୍ବୋଡ଼ିଆ |
ଭୌଗଳିକ ଅବସ୍ଥିତି | 13°26′28″N 103°51′31″E |
Architecture | |
Type | ବାୟୋନ୍ |
ଜୟବର୍ମନ (ସପ୍ତମ) | |
Completed | ଖ୍ରୀଷ୍ଟାବ୍ଦ ୧୨ଶ ଶତାବ୍ଦୀର ଶେଷରେ |
ବାୟୋନ୍ ମନ୍ଦିରର ବିଶେଷତ୍ୱ ହେଲା ମୁଖ୍ୟ ମନ୍ଦିର ଓ ପାର୍ଶ୍ୱ ମନ୍ଦିରମାନଙ୍କର ବିମାନରେ ନିର୍ମିତ ହୋଇଥିବା ଶାନ୍ତ ଓ ସ୍ମିତହାସ୍ୟପୂର୍ଣ୍ଣ ମୁଖମଣ୍ଡଳସମୂହ । ବାୟୋନ୍ ମନ୍ଦିରର ସର୍ବୋଚ୍ଚ ସ୍ତରରେ ଥିବା ବେଢ଼ାର ପ୍ରତି ପାର୍ଶ୍ୱ ମନ୍ଦିରର ବିମାନର ଚାରି ଦିଗରେ ଏହି ମୁଖମଣ୍ଡଳମାନ ଖୋଦିତ ଏବଂ ଏମାନେ ପରିବେଷ୍ଟନ କରିଥିବା ମୁଖ୍ୟ ମନ୍ଦିର ବିମାନର ଚାରି ଦିଗରେ ମଧ୍ୟ ଏପରି ମୁଖମଣ୍ଡଳ ଖୋଦିତ ହୋଇଛି ।[3] ମନ୍ଦିରରେ ପ୍ରଧାନତଃ ଦୁଇଟି ବର୍ଗର (ପୌରାଣିକ ଏବଂ ଐତିହାସିକ) ପ୍ରସ୍ତର କଳା ସହ କିଛି ଅନିର୍ଦ୍ଦିଷ୍ଟ ଦୃଶ୍ୟ ଖୋଦିତ ହୋଇଥିବାର ଦେଖିବାକୁ ମିଳେ । ଜାପାନ ସରକାରଙ୍କ ଅଂକୋର୍ ସଂରକ୍ଷଣ ଦଳ (JSA) ବାୟୋନ୍ ମନ୍ଦିରକୁ କ୍ଷ୍ମେର୍ ସ୍ଥାପତ୍ୟ କଳାର ବାରୁକ୍ ଶୈଳୀର ସର୍ବଶ୍ରେଷ୍ଠ ଉପସ୍ଥାପନା ବୋଲି କୁହନ୍ତି ଏବଂ ଏହି ଶୈଳୀ ଅଂକୋର୍ ୱାଟ୍ର ପାରମ୍ପରିକ କ୍ଷ୍ମେର୍ ଶୈଳୀଠାରୁ ଭିନ୍ନ ।[4]