ଦଶାବତାର
ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ / From Wikipedia, the free encyclopedia
ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଛି ।
ବିଷ୍ଣୁ ନାନା ଅବତାର ଗ୍ରହଣ କରିଥିଲେ ସୁଦ୍ଧା ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀ ଏହି ଦଶ ଗୋଟି ଅବତାର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଭାରତରେ ଶ୍ରୀକୃଷ୍ଣଙ୍କୁ ଅଷ୍ଟମ ଅବତାର ରୂପେ ଗ୍ରହଣ କରାଯାଉଥିବା ବେଳେ, ଓଡ଼ିଶାରେ ବଳରାମଙ୍କୁ ଅଷ୍ଟମ ଅବତାର ବୋଲି ଧରାଯାଏ । ଏହା ଜୟଦେବଙ୍କ ଗୀତଗୋବନ୍ଦର ପ୍ରଭାବ ବୋଲି ଅନୁମିତ । ଉତ୍କଳୀୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ କୌଣସି ଅବତାର ମନେ ନ କରି ସମସ୍ତ ଅବତାରଙ୍କ ସାର ବା 'ଅବତାରୀ' ରୂପେ କଳ୍ପିତ କରାଯାଏ ।