ମାନ୍ପୁପୁନ୍ୟର ଶୈଳଗଠନ
From Wikipedia, the free encyclopedia
ମାନ୍ପୁପୁନ୍ୟର ଶୈଳଗଠନ (ଇଂରାଜୀରେ Manpupuner rock formations, ଋଷୀୟ ଭାଷାରେ Мань-Пупу-нёр, ମାନ୍ସି ଭାଷାରେ Мань-Пупыг-Нёр) ଋଷର କୋମି ରିପବ୍ଲିକ୍ର ଟ୍ରୋଇତ୍ସକୋ-ପେଚୋରସ୍କି ଜିଲ୍ଲାରେ ଉରାଲ୍ ପର୍ବତର ପଶ୍ଚିମକୁ ଅବସ୍ଥିତ ସାତ ଗୋଟି ମୋନୋଲିଥିକ୍ ଶିଳା ସ୍ତମ୍ଭକୁ ବୁଝାଇଥାଏ । ମାନ୍ସି ଭାଷାରେ ଏହାର ନାମର ଅର୍ଥ ହେଲା କ୍ଷୁଦ୍ର ମୂର୍ତ୍ତି ପର୍ବତ ଓ କୋମି ଭାଷାରେ ଏହାର ନାମ Болвано-Изର ଅର୍ଥ ହେଲା ମୂର୍ତ୍ତି ପ୍ରସ୍ତର । ଇଲିଚ୍ ଓ ପେଚୋରା ନଦୀଦ୍ୱୟ ମଧ୍ୟସ୍ଥ ମାନ୍ପୁପୁନ୍ୟୋର ନାମକ ପର୍ବତରେ ପେଚୋରା-ଇଲିଚିସ୍କି ସଂରକ୍ଷିତ ଅଞ୍ଚଳର ପରିସୀମା ମଧ୍ୟରେ ଏହି ଶୈଳ ସ୍ତମ୍ଭମାନ ଅବସ୍ଥିତ । ଏହି ଶୈଳ ଗଠନକୁ କେହି କେହି ସେଭେନ୍ ଷ୍ଟ୍ରଂଗ୍ ମେନ୍ ରକ୍ ଫର୍ମେସନ୍ସ (ସପ୍ତ ବଳଶାଳୀ ପୁରୁଷ ଶୈଳଗଠନ) ଓ ପୋଲ୍ସ୍ ଅଫ୍ ଦ କୋମି ରିପବ୍ଲିକ୍ (କୋମି ରିପବ୍ଲିକ୍ସ୍ଥ ମୀନାର) ବୋଲି ମଧ୍ୟ କହିଥାନ୍ତି ।
ମାନ୍ପୁପୁନ୍ୟର ଶୈଳଗଠନ | |
---|---|
Prominence | ୯୮-୧୩୮ ft (୫୬ m) |
Location | |
Lua error in ମଡ୍ୟୁଲ:Location_map/multi at line 27: Unable to find the specified location map definition: "Module:Location map/data/Russia" does not exist.ଋଷରେ ଅବସ୍ଥିତି | |
Location | ଋଷର କୋମି ରିପବ୍ଲିକ୍ର ଟ୍ରୋଇତ୍ସକୋ-ପେଚୋରସ୍କି ଜିଲ୍ଲା |
Coordinates | 62°15′28″N 59°17′53″E |
Geology | |
Age of rock | ୨୦ କୋଟି ବର୍ଷ |
ଏହି ଶିଳା ସ୍ତମ୍ଭମାନଙ୍କ ଉଚ୍ଚତା ୩୦ରୁ ୪୨ ମିଟର ମଧ୍ୟରେ । ପ୍ରାୟ ୨୦ କୋଟି ବର୍ଷ ପୂର୍ବେ ଏହି ଶୈଳଗଠନ ରହିଥିବା ସ୍ଥାନରେ ଉଚ୍ଚ ପର୍ବତମାନ ରହିଥିବାର ଅନୁମାନ କରାଯାଇଛି । ସମୟକ୍ରମେ ବୃଷ୍ଟିପାତ, ତୁଷାରପାତ, ବାୟୁପ୍ରବାହ, ଉତ୍ତାପ ଯୋଗୁଁ ଏହି ପର୍ବତଗୁଡ଼ିକର ଅବକ୍ଷୟ ଘଟି ବର୍ତ୍ତମାନ କେବଳ ପ୍ରସ୍ତର ସ୍ତମ୍ଭଗୁଡ଼ିକ ରହିଯାଇଛି । ସେହି ପ୍ରାଚୀନ ପର୍ବତର ସେରିସାଇଟ୍-କ୍ୱାର୍ଜାଇଟ୍ ଅଂଶ ଏହି ଅବକ୍ଷୟଦ୍ୱାରା ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇ ଏଯାବତ ତିଷ୍ଠି ରହିଛି । ନରମ ପଥର ଓ ପର୍ବତମାନଙ୍କ ଅନ୍ୟ ଅଂଶ ଜଳ ଓ ବାୟୁ ପ୍ରବାହରେ ଧୋଇ ହୋଇଯାଇଛନ୍ତି ।
୩୪ ମିଟର ଉଚ୍ଚତାବିଶିଷ୍ଟ ଏକ ସ୍ତମ୍ଭ ଅନ୍ୟ ସମସ୍ତ ସ୍ତମ୍ଭଙ୍କଠାରୁ ଅଳ୍ପ ଦୂରରେ ଛାଡ଼ି ହୋଇ ରହିଛି । ଏହାର ଆକାର ଏକ ଓଲଟା ବୋତଲ ପରି । ଅନ୍ୟ ୬ଟି ପ୍ରସ୍ତର ସ୍ତମ୍ଭ ପର୍ବତର ଏକ କୋଣରେ ରହିଛନ୍ତି । କଥିତ ଅଛି ଯେ ଏହି ଶୈଳ ଗଠନଗୁଡ଼ିକ ବିଶାଳକାୟ ମାନବ, ଘୋଡ଼ା ମୁଣ୍ଡ ଓ ମେଣ୍ଢା ମୁଣ୍ଡର ଆକାର ପରି ଦେଖାଯାନ୍ତି । ମାନ୍ପୁପୁନ୍ୟର ଶୈଳଗଠନ ସମ୍ପର୍କିତ ଅନେକ କିମ୍ବଦନ୍ତୀ ରହିଛି ।[1] ସ୍ଥାନୀୟ ମାନ୍ସି ଲୋକେ ଏମାନଙ୍କୁ ପବିତ୍ର ବୋଲି ମନେ କରୁଥିଲେ । ତେଣୁ ଏମାନଙ୍କ ଉପରକୁ ଚଢ଼ିଲେ ପାପ ଲାଗିବ ବୋଲି ଧାରଣା ରହିଥିଲା ।[2]
ଏହି ଶୈଳଗଠନ ଋଷର ସପ୍ତାଶ୍ଚର୍ଯ୍ୟ ତାଲିକାରେ ସ୍ଥାନ ପାଇଛି । ମାନ୍ପୁପୁନ୍ୟର ଶିଳା ଋଷ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ । ଏହି ଅଞ୍ଚଳରେ ପର୍ଯ୍ୟଟନ ଯୋଗୁଁ ବିଶେଷ କ୍ଷୟକ୍ଷତି ବା ସମସ୍ୟା ସୃଷ୍ଟି ହୋଇନାହିଁ ।[3]